
ଯିଏ ବ୍ୟକ୍ତ ପ୍ରିୟପରମ ବା ପୁରୁଷୋତ୍ତମ, ଯିଏ ବ୍ୟକ୍ତ ବୈଶିଷ୍ଟ୍ୟପାଳୀ ଆପୂରୟମାଣ ଆଚାର୍ଯ୍ୟ, ପ୍ରୀତି ପ୍ଲାବନ ଯିଏ, ସେ ହିଁ ମଣିଷର ପରମ ଉଦ୍ଧାତା, ସେ ହିଁ ପଥ, ସେ ହିଁ ସତ୍ୟ, ସେ ହିଁ ଜୀବନାଲୋକ
ପୁରୁଷୋତ୍ତମ ଅଟନ୍ତି ଈଶ୍ୱରଙ୍କର ବ୍ୟକ୍ତ ସ୍ବରୂପ I ମନୁଷ୍ୟ ସାଧାରଣତଃ ଈଶ୍ୱରଙ୍କୁ ପାଇବା ଲାଗି ବିଭିନ୍ନ ଉପାସନାର ମାର୍ଗ ଅନୁସରଣ କରେ I କିନ୍ତୁ ଯେଉଁ ଭାବରେ ସେ ତାଙ୍କୁ ମନରେ କଳ୍ପନା କରିଥାଏ, ସେହି ଭାବନେଇ ଶ୍ରଦ୍ଧା, ଭକ୍ତି ଓ ପ୍ରେମ ଦେଇ ନିରନ୍ତର ହୃଦୟରେ ବାନ୍ଧି ରଖି ପାରେ ନାହିଁ I ନିଜର ବୃତ୍ତି ପ୍ରବୃତ୍ତିର ଚାପରେ ସେ ତାଙ୍କଠାରୁ ଦୂରେଇ ଯାଏ I ସର୍ବଶକ୍ତିମାନ ଓ ମଙ୍ଗଳମୟ ଈଶ୍ୱରଙ୍କୁ ସେ ହୃଦୟଙ୍ଗମ କରି ପାରେ ନାହିଁ I ତାଙ୍କର ଅନୁଶାସନ ନମାନି ଦୁଃଖ ଦୁଃର୍ଦ୍ଦଶାରେ ପଡି ହାହୁତାଶରେ ଚିତ୍କାର କରେ I କିଏ ତାକୁ ଧରି ରଖିବ, ମନକୁ ସାନ୍ତ୍ୱନା ଦେବ, ଅନ୍ଧକାରକୁ ଦୂର କରି ଆଲୋକ ଜଳାଇ ଦେବ, ହାତ ଧରି ଭବ ସାଗରକୁ ପାରି କରିବ? ସେହି ଚିତ୍କାରରେ , ଆକୁଳ ଆହ୍ୱାନରେ ସେ ଧରା ଦିଅନ୍ତି ଓ ନରତନୁରେ ଦୁନିଆରେ ଆର୍ବିଭୂତ ହୁଅନ୍ତି I ତାଙ୍କ ସୃଷ୍ଟିର ସର୍ବଶ୍ରେଷ୍ଠ କୃତି ମନୁଷ୍ୟର ରକ୍ଷାପାଇଁ ସେ ଆଉ ସ୍ଥିରହୋଇ ରହି ପାରନ୍ତି ନାହିଁ I ନିଜକୁ ସଂପୂର୍ଣ ଭାବରେ - ସର୍ବଶ୍ରେଷ୍ଠ ରୂପରେ ବ୍ୟକ୍ତ କରନ୍ତି ଧରଣୀ ବକ୍ଷରେ ମାନବରୂପଧାରୀ ପୁରୁଷୋତ୍ତମ ଭାବରେ I
ବୈଷ୍ଣବ ଶାସ୍ତ୍ରରେ ଅଛି - "ଈଶ୍ବରଙ୍କ ଯେତେ ଲୀଳା , ସର୍ବୋତ୍ତମ ନରଲୀଳା, ନରବପୁ ତାଙ୍କର ସ୍ୱରୂପ " I ସେ ହେଉଛନ୍ତି ସେ ମହାଆକର୍ଷଣକାରୀ , ମହାଶକ୍ତିଶାଳୀ ପୁରୁଷ, ଯିଏ କି ମଣିଷକୁ ସବୁ ଦିଗ ଦେଇ ପୂରଣ କରି ପାରିବେ, ସକଳ ଅବସ୍ଥାରୁ ଉଦ୍ଧାର କରି ପାରିବେ, ସେ ହେବେ ଜୀବନର କେନ୍ଦ୍ର I ଯୁଗମାଫିକ ସେ ଆସନ୍ତି, ସାରା ଜଗତ ପାଇଁ I ସେ ଅଟନ୍ତି ସୃଷ୍ଟିର ସର୍ବୋତ୍ତମ ପରିପ୍ରକାଶ, ସତ୍ତା ସମ୍ବର୍ଦ୍ଧନାର ପ୍ରତୀକ , ସତ୍ ପ୍ରେରଣାର ନିରବିଛିନ୍ନ ନିର୍ଝର , ପ୍ରେମର ମୂର୍ତ୍ତ ବିଗ୍ରହ ଓ ଶ୍ରେଷ୍ଠ କଲ୍ୟାଣକାରୀ ପୁରୁଷ I ଏ ଯୁଗରେ ସେ ଅଟନ୍ତି ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର I ମନୁଷ୍ୟ ପାଖରେ ଶ୍ରେଷ୍ଠ ଚଳନୀର ଧାରାକୁ ସେ ଧରାଇ ଦିଅନ୍ତି ଓ ସମସ୍ୟାରେ ପଡିଥିବା ମନୁଷ୍ୟ ତାଙ୍କଠାରୁ ପାଏ ସମାଧାନର ସୂତ୍ର I ସେ ଧରାଇଥିବା ପଥ ହେଉଛି ମହାମଙ୍ଗଳର ପଥ ଓ ମହାବିନାଶ ହାତରୁ ମୁକ୍ତିର ଉପାୟ I ସେ ହିଁ ମଣିଷର ପ୍ରିୟପରମ ଗୁରୁ, ସତ୍ତାର ଧାରକ, ପାଳକ, ପୋଷକ ଓ ସର୍ବଶ୍ରେଷ୍ଠ ଆଶ୍ରୟସ୍ଥଳ I
ଏ ଯୁଗର ପ୍ରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ପୂର୍ବ ପୂର୍ବ ଅବତାରଗଣଙ୍କର ନବକଳେବର, ସବୁ ପଥ ଓ ମତର ପରିପୂରଣ ମିଳନବେଦୀ I ତାଙ୍କୁ ସ୍ୱୀକାର କରିବା ଅର୍ଥ ଈଶ୍ୱରଙ୍କୁ ସ୍ୱୀକାର କରିବା, ସତ୍ୟକୁ ସ୍ୱୀକାର କରିବା ଓ ଶୁଭକୁ ସ୍ୱୀକାର କରିବା I ସେ ପରମ ମଙ୍ଗଳକାରୀ ଓ ପରମ ଉପାସ୍ୟ I ଆସନ୍ତୁ ସେହି ପ୍ରିୟପରମ, ପରମଗୁରୁ , ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କୁ ନିଜ ହୃଦୟ ସିଂହାସନରେ ଅଧିଷ୍ଠିତ କରି ମଙ୍ଗଳପଥର ଅଧିକାରୀ ହେବା I ସତ୍ୟାନୁସରଣର ସେହି ଅମୃତମୟ ବାଣୀ ଏଠାରେ ଉଲ୍ଲେଖଯୋଗ୍ୟ -
" ତୁମେ ସଦଗୁରୁ ଗ୍ରହଣ କର, ସତ୍ ନାମ ମନନ କର ଓ ସତସଙ୍ଗର ଆଶ୍ରୟ ଗ୍ରହଣକର,ମୁଁ ନିଶ୍ଚୟ କରି କହୁଛି - ତୁମକୁ ଆଉ ତୁମର ଉନ୍ନୟନ ପାଇଁ ଭାବିବାକୁ ହେବ ନାହିଁ "
ତାଙ୍କର ଉତ୍ତରଦାୟାଦ ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡଦା , ଆଚାର୍ଯ୍ୟଦେବ ଶ୍ରୀ ଶ୍ରୀ ଦାଦା ଓ ବର୍ତ୍ତମାନର ଆଚାର୍ଯ୍ୟଦେବ ସେହି ଅମୃତଧାରାକୁ ଅବ୍ୟାହତ ରଖି କୋଟି କୋଟି ମଣିଷର ନିର୍ଭୟ ଆଶ୍ରୟସ୍ଥଳୀ ହୋଇଛନ୍ତି I
ମାତୃଭାଷା ଓଡିଆରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ସେହି ଲୋକକଲ୍ୟାଣକାରୀ ଭାବଧାରା ପ୍ରସାରକଳ୍ପେ ଏହା ଏକ ଛୋଟ ପ୍ରୟାସ I ଆପଣମାନଙ୍କ ମତାମତ ଓ ସାହାଯ୍ୟ ପ୍ରାର୍ଥନୀୟ I


